କଳାହାଣ୍ଡି: ତା ୦୮/୧୦/ରିଖ ନ୍ୟାୟଭୂମି ସମ୍ବାଦ(କେଶବ ମେହେର) ଗତ ସେପ୍ଟେମ୍ବର ମାସର ଶେଷ ସପ୍ତାହରେ ଲଗାଣ ବର୍ଷା ସାଙ୍ଗକୁ ହାତୀ ଓ ତେଲ ନଦୀରେ ଆସିଥିବା ବନ୍ୟା କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଚିନ୍ତା ବଢ଼ାଇଦେଇଛି। ବନ୍ୟାଜଳରେ ନଦୀକୂଳବର୍ତ୍ତୀ ଅଞ୍ଚଳର ବହୁ ଚାଷଜମି ଜଳମଗ୍ନ ହୋଇ ଧାନ ଫସଲ ନଷ୍ଟ ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। କ୍ଷତିଗ୍ରସ୍ତ ଚାଷୀମାନେ ଶୀଘ୍ର ସରକାରୀ କ୍ଷତିପୂରଣ ଯୋଗାଇଦେବାକୁ ଦାବି କରିବା ସହ କ୍ଷତିପୂରଣ ନ ମିଳିଲେ ରାଜ୍ୟ ବାହାରକୁ ଦାଦନ ଶ୍ରମିକ ଭାବେ ଯିବାକୁ ପଡ଼ିବ ବୋଲି କ୍ଷୋଭ ପ୍ରକାଶ କରିଛନ୍ତି।
ରାଜସ୍ୱ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ, ସେପ୍ଟେମ୍ବର ୨୨ରୁ ୨୫ ତାରିଖ ମଧ୍ୟରେ ହୋଇଥିବା ଲଗାଣ ବର୍ଷା ଓ ବନ୍ୟା ଯୋଗୁଁ ଜିଲ୍ଲାର ବିଭିନ୍ନ ବ୍ଲକରେ ମୋଟ ୪୩୬୮.୭୦ ହେକ୍ଟର ଚାଷଜମିର ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି। ଏଥିରେ ଗୋଲାମୁଣ୍ଡା ବ୍ଲକରେ ୧୨୭୦ ହେକ୍ଟର, ଜୁନାଗଡ଼ ବ୍ଲକରେ ୧୧୬୬ ହେକ୍ଟର, ଧର୍ମଗଡ଼ ବ୍ଲକରେ ୧୦୪୬ ହେକ୍ଟର, ଭବାନୀପାଟଣା ବ୍ଲକରେ ୬୩୪.୭୦ ହେକ୍ଟର, କେସିଙ୍ଗା ବ୍ଲକରେ ୨୨୭ ହେକ୍ଟର ଏବଂ କୋକସରା ବ୍ଲକରେ ୨୪.୪୦ ହେକ୍ଟର ଚାଷଜମିର ଫସଲ କ୍ଷତି ହୋଇଥିବା ଦର୍ଶାଯାଇଛି।
ବିଶେଷକରି ଜୁନାଗଡ଼ ବ୍ଲକର ନଦୀକୂଳିଆ ଅଞ୍ଚଳରେ ବନ୍ୟାର ପ୍ରଭାବ ଅଧିକ ରହିଥିବା ଚାଷୀମାନେ କହିଛନ୍ତି। ତଳମଲା ପଞ୍ଚାୟତର ସାହାଜକନା, ମସିଗାଁ, ତଳମଲା ସମେତ ମୂର୍ଲାପଦର, ପରିଆଗାଁ, ଚିଙ୍ଗୁଡ଼ିସର, ପାଣିଗାଁ, ଝାରବନ୍ଧ, ପରିଆଗଡ଼ ଆଦି ଗ୍ରାମରେ ବହୁ ଚାଷଜମି ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଅଭିଯୋଗ ହୋଇଛି।
ବନ୍ୟାପାଣି ହ୍ରାସ ପାଇବା ପରେ ଅନେକ ଜମିରେ ଧାନ ଫସଲ ପଚି ନଷ୍ଟ ହେଉଥିବା ଚାଷୀମାନେ କହିଛନ୍ତି। କେତେକ ସ୍ଥାନରେ ଜମିରେ ବାଲି ଜମିଯାଇଥିବା ବେଳେ ଆଉ କେତେକ ଜମିରେ ଏବେ ମଧ୍ୟ ପାଣି ଜମି ରହିଥିବା ଦେଖାଯାଇଛି। ଫଳରେ ଚଳିତ ଖରିଫ ଋତୁର ଧାନ ଫସଲରୁ ଆଶା କରିଥିବା ଆୟ ହରାଇବା ନେଇ ଚାଷୀମାନଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ସ୍ଥାନୀୟ ଚାଷୀଙ୍କ କହିବାନୁସାରେ, ଅନେକ ଚାଷୀ ଧାରକରଜ କରି ଚାଷ କରିଥିଲେ। ଫସଲ ଭଲ ହେଲେ ଋଣ ପରିଶୋଧ କରିବା ସହ ପରିବାରର ଆବଶ୍ୟକତା ପୂରଣ କରିବା ନେଇ ସେମାନେ ଆଶା ରଖିଥିଲେ। କିନ୍ତୁ ଅଚାନକ ବନ୍ୟା ଯୋଗୁଁ ଫସଲ ନଷ୍ଟ ହେବାରୁ ସେମାନଙ୍କ ଆର୍ଥିକ ସ୍ଥିତି ଅଧିକ ଦୁର୍ବଳ ହେବାର ଆଶଙ୍କା ଦେଖାଦେଇଛି।
ବନ୍ୟାରେ କେବଳ ଚାଷଜମି ନୁହେଁ, ବିଭିନ୍ନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ରହିଛି। ସାହାଜକନାରୁ ଚିଙ୍ଗୁଡ଼ିସର ଗ୍ରାମକୁ ଯାଇଥିବା ରାସ୍ତା ସମେତ ଅନ୍ୟ କେତେକ ରାସ୍ତା ବନ୍ୟାଜଳରେ ଧୋଇଯାଇଥିବା ଚାଷୀମାନେ କହିଛନ୍ତି। ଦୀର୍ଘ ବର୍ଷ ପରେ ଏପରି ବଡ଼ ବନ୍ୟା ଦେଖିବାକୁ ମିଳିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି।
କ୍ଷତିଗ୍ରସ୍ତ ଚାଷୀମାନେ କ୍ଷତିପୂରଣ ଦାବିରେ ଜୁନାଗଡ଼ ତହସିଲଦାର ଓ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଭାବେ ଜଣାଇଥିବା ସୂଚନା ମିଳିଛି। ଶୀଘ୍ର କ୍ଷତିପୂରଣ ନ ମିଳିଲେ ପରିବାର ଚଳାଇବା ପାଇଁ ବାଧ୍ୟ ହୋଇ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯିବାକୁ ପଡ଼ିବ ବୋଲି କେତେକ ଚାଷୀ କ୍ଷୋଭ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷରେ, ଏନେଇ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ)ଙ୍କୁ ପଚାରିବାରୁ ଗ୍ରାଉଣ୍ଡ ଜିରୋରୁ କ୍ଷୟକ୍ଷତିର ରିପୋର୍ଟ ଆସିସାରିଛି ବୋଲି ସେ କହିଛନ୍ତି। ରିପୋର୍ଟକୁ ଉପରିସ୍ଥ ଅଧିକାରୀ ଓ ସରକାରଙ୍କ ନିକଟକୁ ପଠାଯାଇଛି। ସରକାରଙ୍କ ପକ୍ଷରୁ ଆବଶ୍ୟକ ଫଣ୍ଡ ଆସିବା ପରେ ନିୟମାନୁସାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ବର୍ତ୍ତମାନ କ୍ଷତିଗ୍ରସ୍ତ ଚାଷୀଙ୍କ ଦୃଷ୍ଟି ରାଜ୍ୟ ସରକାରଙ୍କ ଆଗାମୀ ପଦକ୍ଷେପ ଉପରେ ରହିଛି। ଫସଲ କ୍ଷତିର ସଠିକ ଆକଳନ କରାଯାଇ ଯଥାଶୀଘ୍ର ନିୟମ ଅନୁଯାୟୀ ସହାୟତା ମିଳିବ କି ନାହିଁ, ତାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅପେକ୍ଷା ଜାରି ରହିଛି।
ସତ୍ୟର ସହିତ: ନ୍ୟାୟର ପଥରେ
ନ୍ୟାୟଭୂମି ସମ୍ବାଦ/ସମ୍ପାଦକ:- ଜିତେନ୍ଦ୍ର ତାଣ୍ଡି










