କଳାହାଣ୍ଡି: ୧୫/୧୦/ନ୍ୟାୟଭୂମି ସମ୍ବାଦ (କେଶବ ମେହେର)
କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ପିପଳଭାଡ଼ି ଗ୍ରାମରେ ଗୁରୁବାର, ୧୫ ଅକ୍ଟୋବର ୨୦୨୬ରେ ଜାତୀୟ ମହିଳା କୃଷକ ଦିବସ ପାଳନ କରାଯାଇଛି। ମହିଳା କୃଷକଙ୍କୁ କୃଷି କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ପ୍ରଦାନ, ସେମାନଙ୍କ ସଶକ୍ତିକରଣ ଏବଂ କୃଷି ଓ ଆନୁଷଙ୍ଗିକ କାର୍ଯ୍ୟକଳାପରେ ସେମାନଙ୍କ ଅବଦାନକୁ ସ୍ୱୀକୃତି ଦେବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ ପିପଳଭାଡ଼ି ଗ୍ରାମର ପାଞ୍ଚଟି ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୫୦ ଜଣ ମହିଳା କୃଷକ ଓ କୃଷିଜୀବୀ ମହିଳା ଯୋଗଦେଇଥିଲେ। କୃଷିକୁ ଜୀବିକାର ମାଧ୍ୟମ ଭାବେ ଗ୍ରହଣ କରିବା ସହ ବିଭିନ୍ନ ଆନୁଷଙ୍ଗିକ କାର୍ଯ୍ୟକଳାପ ଜରିଆରେ ମହିଳାମାନେ କିପରି ଆର୍ଥିକ ଭାବେ ସ୍ୱାବଲମ୍ବୀ ହୋଇପାରିବେ, ସେ ନେଇ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।
କୃଷିଜାତ ଓ ଜଙ୍ଗଲଜାତ ଉତ୍ପାଦର ମୂଲ୍ୟ ବୃଦ୍ଧି କରି ଆୟ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ମହୁଲ ଫୁଲ, ତେନ୍ତୁଳି, ସଜନା ଓ ମାଣ୍ଡିଆ ଆଦିରୁ ବିଭିନ୍ନ ମୂଲ୍ୟଯୁକ୍ତ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରିବା ସମ୍ପର୍କରେ ମହିଳାମାନଙ୍କୁ ଅବଗତ କରାଯାଇଥିଲା। ଏଥିସହ ଛତୁ ଚାଷ, ଫୁଲ ଚାଷ, କୁକୁଡ଼ା ପାଳନ, ଜିଆଖତ ପ୍ରସ୍ତୁତି ଓ ପାକଶାଳା ବଗିଚା ଭଳି ଆନୁଷଙ୍ଗିକ କୃଷି କାର୍ଯ୍ୟ ମାଧ୍ୟମରେ ଅତିରିକ୍ତ ରୋଜଗାର ସୃଷ୍ଟି କରିବାର ସମ୍ଭାବନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି କାର୍ଯ୍ୟକଳାପ ମାଧ୍ୟମରେ ମହିଳାମାନେ ନିଜେ ରୋଜଗାରକ୍ଷମ ହେବା ସହ ପରିବାରର ଆୟ ବୃଦ୍ଧି ଓ ପୋଷଣ ସୁରକ୍ଷାରେ ଅବଦାନ ରଖିପାରିବେ ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଏହାଦ୍ୱାରା ଗ୍ରାମୀଣ ମହିଳାଙ୍କ ଜୀବିକାରେ ବିବିଧତା ଆଣିବା ସହ କୃଷିଭିତ୍ତିକ ଉଦ୍ୟୋଗ ପ୍ରତି ଆଗ୍ରହ ବଢ଼ାଇବାର ସୁଯୋଗ ରହିଛି।
କାର୍ଯ୍ୟକ୍ରମ ଶେଷରେ ଉପସ୍ଥିତ ମହିଳା କୃଷକମାନଙ୍କୁ ଉନ୍ନତମାନର ପନିପରିବା ଚାରା ବଣ୍ଟନ କରାଯାଇଥିଲା। ଏହା ମାଧ୍ୟମରେ ନିଜସ୍ୱ ପାକଶାଳା ବଗିଚା ଗଠନ ଓ ପନିପରିବା ଚାଷ ପ୍ରତି ମହିଳାମାନଙ୍କୁ ଉତ୍ସାହିତ କରାଯାଇଥିଲା।
କୃଷି ବିଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ଡ. ଅମିତାଭ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଗୃହ ବିଜ୍ଞାନୀ ଶ୍ରୀମତୀ ଶୁଭଶ୍ରୀ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପିପଳଭାଡ଼ି ଗ୍ରାମର ଶ୍ରୀ ଲାବଣ୍ୟ ଝଙ୍କାର, କୃଷକ ସାଥୀ ପ୍ରଶାନ୍ତ ଝଙ୍କାର ଓ ଅଗ୍ରଣୀ ଚାଷୀ ପୀତାମ୍ବର ମାଝୀଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଥିଲା।
ମହିଳା କୃଷକଙ୍କ କୃଷି ଦକ୍ଷତାର ବିକାଶ, ଆୟ ବୃଦ୍ଧି ଓ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହନ ଦେବା ଦିଗରେ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ଭାବେ ପରିଗଣିତ ହୋଇଛି।
ସତ୍ୟର ସହିତ : ନ୍ୟାୟର ପଥରେ
ନ୍ୟାୟଭୂମି ସମ୍ବାଦ/ ସମ୍ପାଦକ :-ଜିତେନ୍ଦ୍ର ତାଣ୍ଡି








