ଭୁବନେଶ୍ୱର: ୨୮/୧୦ /୨୬ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) 
ବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜସ୍ୱ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମୀକ୍ଷା କରିଛନ୍ତି। ରାଜ୍ୟର ୧୭ଟି ବ୍ଲକ୍ରେ ୧୦୫ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଗଜପତି ଜିଲ୍ଲା ସର୍ବାଧିକ ପ୍ରଭାବିତ ହୋଇଛି।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲାର ପଟାଙ୍ଗୀରେ ସର୍ବାଧିକ ୧୮୮ ମିଲିମିଟର ଏବଂ ଗଜପତି ଜିଲ୍ଲାର ମୋହନାରେ ୧୮୨.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି। ବାତ୍ୟାର ମୁକାବିଲା ଓ ପରିସ୍ଥିତି ଉପରେ ନଜର ରଖିବା ପାଇଁ ୨ ଜଣ ଉପମୁଖ୍ୟମନ୍ତ୍ରୀ, ୬ ଜଣ ମନ୍ତ୍ରୀ ଓ ୭ ଜଣ ଆଇଏଏସ୍ ଅଧିକାରୀଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିଲା।
ବାତ୍ୟା ମୁକାବିଲା ପାଇଁ ମୋଟ ୩୧୩ଟି ଉଦ୍ଧାରକାରୀ ଟିମ୍ ନିୟୋଜିତ ହୋଇଥିଲେ। ଏଥିରେ ୬୦ଟି ଓଡ୍ରାଫ୍ ଟିମ୍, ୯ଟି ଏନ୍ଡିଆର୍ଏଫ୍ ଟିମ୍ ଓ ୨୪୪ଟି ଅଗ୍ନିଶମ ସେବା ଟିମ୍ ସାମିଲ ଥିଲେ। ରିଲିଫ୍ କ୍ୟାମ୍ପ୍ଗୁଡ଼ିକରେ ଆଶ୍ରୟ ନେଇଥିବା ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ, ପାନୀୟ ଜଳ, ଔଷଧ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦିଆଯାଇଛି।
ସେହିପରି, ସୁରକ୍ଷା ଦୃଷ୍ଟିରୁ ୨,୨୪୫ ଜଣ ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିବା ବେଳେ ୯୩୧ ଜଣ ଶିଶୁ ସୁରକ୍ଷିତ ଭାବେ ଜନ୍ମ ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ, ମତ୍ସ୍ୟଜୀବୀଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସେମାନଙ୍କୁ ସମୁଦ୍ରରୁ କୂଳକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଥିଲା। ଗଞ୍ଜାମରୁ ବାଲେଶ୍ୱର ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରୁ ୧୯,୧୪୩ଟି ବୋଟ୍ରେ ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀମାନେ ସମସ୍ତେ ସୁରକ୍ଷିତ ଭାବେ କୂଳକୁ ଫେରିଆସିଛନ୍ତି। ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ଫେରାଇ ଆଣିବାରେ ରାଜ୍ୟ ସରକାର ଶତପ୍ରତିଶତ ସଫଳ ହୋଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।









