ଜୁନାଗଡ଼ ୦୩/୧୧ ନ୍ୟାୟଭୂମି ସମ୍ବାଦ( କେଶବ ମେହେର)
କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ନାନ୍ଦୋଳ ଗ୍ରାମ ପଞ୍ଚାୟତର ନାନ୍ଦୋଳ ଗ୍ରାମରେ ନୂତନ ଭାବେ ନିର୍ମିତ ସରକାରୀ ଆୟୁର୍ବେଦ ଡାକ୍ତରଖାନା ଗୃହ ଉଦ୍ଘାଟିତ ହୋଇଛି। କଳାହାଣ୍ଡି ଜିଲ୍ଲା ଆୟୁର୍ବେଦ ଅଧିକାରୀ ଡାକ୍ତର କଳିଙ୍ଗ ଧରୁଆଙ୍କ ଦ୍ୱାରା ଏହି ନୂତନ ଗୃହର ଉଦ୍ଘାଟନ କରାଯାଇଥିଲା। ଏହା ଦ୍ୱାରା ଅଞ୍ଚଳବାସୀଙ୍କୁ ଆୟୁର୍ବେଦ ଚିକିତ୍ସା ସେବା ଯୋଗାଇବାରେ ଭିତ୍ତିଭୂମିଗତ ସୁବିଧା ମିଳିବା ନେଇ ଆଶା ପ୍ରକାଶ ପାଇଛି।
ଏହି ଅବସରରେ ପଦ୍ମଶ୍ରୀ ପଟାୟତ ସାହୁ, ପ୍ରକୃତିବନ୍ଧୁ ଯତୀନ୍ଦ୍ର କର, କଳାହାଣ୍ଡି ବୈଦ୍ୟ ସଂଘର ସଭାପତି ଅଶ୍ୱିନୀ କୁମାର, ଡାକ୍ତର ରାମେଶ୍ୱର ନାଏକ, ଡାକ୍ତର ଅମିତ ମୁଣ୍ଡ, ନାନ୍ଦୋଳ ସରପଞ୍ଚ ନିରଞ୍ଜନ ମାଝୀ ଓ ବ୍ରହ୍ମାନନ୍ଦ ନନ୍ଦ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ଅଭିଜିତ କର, ପିଣ୍ଟୁ ବିଶ୍ୱାଳ ଓ ମଳୟ ଭୋଇ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏଥିରେ ଅଞ୍ଚଳର ଅନ୍ୟାନ୍ୟ ଆୟୁର୍ବେଦିକ ଡାକ୍ତର ଓ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ମଧ୍ୟ ଉପସ୍ଥିତ ଥିଲେ।
ସଭାରେ ବକ୍ତବ୍ୟ ରଖି ପ୍ରକୃତିବନ୍ଧୁ ଯତୀନ୍ଦ୍ର କର କହିଥିଲେ ଯେ, ଏହି ଚିକିତ୍ସା କେନ୍ଦ୍ରକୁ ଆୟୁଷମାନ ଆରୋଗ୍ୟ ମନ୍ଦିର ଭାବେ ବିକଶିତ କରାଗଲେ ସାଧାରଣ ଲୋକେ ଆୟୁର୍ବେଦ ଚିକିତ୍ସା ସହିତ ଯୋଗ ଶିକ୍ଷା ଓ ଅନ୍ୟାନ୍ୟ ଆୟୁଷ ସେବାର ସୁବିଧା ପାଇପାରିବେ। ଏଥିପାଇଁ ସେ ଜିଲ୍ଲା ଆୟୁର୍ବେଦ ଅଧିକାରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ।
ସେ ଆହୁରି ମତ ପ୍ରକାଶ କରିଥିଲେ ଯେ, ଚିକିତ୍ସା କେନ୍ଦ୍ର ପରିସରରେ ଆବଶ୍ୟକ ବାଡ଼ ବ୍ୟବସ୍ଥା କରାଗଲେ ସେଠାରେ ବିଭିନ୍ନ ପ୍ରକାର ଔଷଧୀୟ ଓ ବନୌଷଧି ବୃକ୍ଷ ରୋପଣ କରାଯାଇପାରିବ। ଏହାଦ୍ୱାରା ଔଷଧୀୟ ଉଦ୍ଭିଦ ସମ୍ପର୍କରେ ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି ସହ ଚିକିତ୍ସା କେନ୍ଦ୍ରର ପରିବେଶ ମଧ୍ୟ ଉନ୍ନତ ହୋଇପାରିବ। ତେଣୁ ଏହି ଦିଗରେ ଶୀଘ୍ର ପଦକ୍ଷେପ ନେବାକୁ ସେ ଅନୁରୋଧ କରିଥିଲେ।
ସେହିପରି ପଦ୍ମଶ୍ରୀ ପଟାୟତ ସାହୁ ନିଜ ବକ୍ତବ୍ୟରେ ଆୟୁର୍ବେଦ ଚିକିତ୍ସାର ଗୁରୁତ୍ୱ ଓ ଔଷଧୀୟ ଉଦ୍ଭିଦର ଉପଯୋଗିତା ସମ୍ପର୍କରେ ମତ ରଖିଥିଲେ। ଆୟୁର୍ବେଦ ଚିକିତ୍ସା ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ସହ ସ୍ୱାସ୍ଥ୍ୟ ସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ।
ନୂତନ ଡାକ୍ତରଖାନା ଗୃହ ଉଦ୍ଘାଟନକୁ କେବଳ ଏକ ଭିତ୍ତିଭୂମିର ଶୁଭାରମ୍ଭ ଭାବେ ନୁହେଁ, ବରଂ ଗ୍ରାମାଞ୍ଚଳରେ ପାରମ୍ପରିକ ଆୟୁର୍ବେଦ ଚିକିତ୍ସା ସେବାର ପହଞ୍ଚ ବୃଦ୍ଧି ଦିଗରେ ଏକ ପଦକ୍ଷେପ ଭାବେ ଦେଖାଯାଉଛି। ତେବେ ଏହି ଚିକିତ୍ସା କେନ୍ଦ୍ରରେ ନିୟମିତ ଡାକ୍ତର ଉପସ୍ଥିତି, ଆବଶ୍ୟକ ଔଷଧ ଯୋଗାଣ, ଯୋଗ୍ୟ କର୍ମଚାରୀ ନିଯୁକ୍ତି ଓ ଅନ୍ୟାନ୍ୟ ଆବଶ୍ୟକ ସୁବିଧା ଉପଲବ୍ଧ ହେବା ଉପରେ ଏହାର ସଫଳତା ନିର୍ଭର କରିବ।
କାର୍ଯ୍ୟକ୍ରମର ଶେଷରେ ନାନ୍ଦୋଳ ଆୟୁର୍ବେଦ ଡାକ୍ତର ଡାକ୍ତର ଅମିତ ମୁଣ୍ଡ ଉପସ୍ଥିତ ଅତିଥି, ଡାକ୍ତର, କର୍ମଚାରୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ନୂତନ ଗୃହର ଉଦ୍ଘାଟନ ପରେ ଏଠାରେ ଉନ୍ନତ ଓ ନିୟମିତ ଆୟୁର୍ବେଦ ଚିକିତ୍ସା ସେବା ମିଳିବା ସହ ଯୋଗ ଶିକ୍ଷା ଓ ଔଷଧୀୟ ବୃକ୍ଷରୋପଣ ପ୍ରସ୍ତାବ କାର୍ଯ୍ୟକାରୀ ହେବ କି ନାହିଁ, ତାହା ଉପରେ ଅଞ୍ଚଳବାସୀଙ୍କ ନଜର ରହିଛି।








