ଭୁବନେଶ୍ୱର: ୨୮/୧୦ ନ୍ୟାୟଭୂମି ସମ୍ବାଦ (ବ୍ୟୁରୋ) ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ସହ ଝଡ଼ ପବନ ହେବାର ଆଶଙ୍କା ରହିଛି। ବାତ୍ୟା ଛତିଶଗଡ଼ ମୁହାଁଇବା ସମୟରେ ରାଜ୍ୟର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ସୂଚନା ଦେଇଛନ୍ତି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଦକ୍ଷିଣ ଓଡ଼ିଶାରେ ଆକସ୍ମିକ ବନ୍ୟା ବା ଫ୍ଲାସ୍ ଫ୍ଲଡ୍ ହେବାର ମଧ୍ୟ ଆଶଙ୍କା ରହିଛି।
୮୦ କିମି ବେଗରେ ବହିପାରେ ଝଟ୍କା ପବନ
ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟା ପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ। ଝଟ୍କା ପବନର ବେଗ ଘଣ୍ଟା ପ୍ରତି ୮୦ କିଲୋମିଟର ଛୁଇଁବାର ସମ୍ଭାବନା ରହିଛି। ବିଶେଷକରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ପବନର ତୀବ୍ରତା ଅଧିକ ରହିପାରେ।
ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ଆଶଙ୍କା
ପ୍ରବଳ ବର୍ଷା ଯୋଗୁଁ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଆକସ୍ମିକ ବନ୍ୟା ସ୍ଥିତି ଉପୁଜିପାରେ। ଏହାସହ ଉତ୍ତର ଓଡ଼ିଶାରେ ମଧ୍ୟ ଧୀରେ ଧୀରେ ବର୍ଷାର ପରିମାଣ ବୃଦ୍ଧି ପାଇବା ନେଇ ଆକଳନ କରାଯାଇଛି।
ପ୍ରବଳ ବର୍ଷା ଓ ଝଡ଼ ପବନର ସମ୍ଭାବନାକୁ ଦୃଷ୍ଟିରେ ରଖି ସମ୍ଭାବ୍ୟ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସତର୍କ ରହିବା ସହ ପାଣିପାଗ ବିଭାଗର ପରବର୍ତ୍ତୀ ସୂଚନା ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଉଛି।









