ଭୁବନେଶ୍ୱର: ୨୯/୧୦ ନ୍ୟାୟଭୂମି ସମ୍ବାଦ(ବ୍ୟୁରୋ) ବାତ୍ୟା ଅର୍ଣ୍ଣବ’ ଓ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ନେଇ ରାଜ୍ୟ ସରକାର ତତ୍ପର ହୋଇଉଠିଛନ୍ତି। ପ୍ରଭାବିତ ଅଞ୍ଚଳର ସ୍ଥିତି, ଜନଜୀବନ ଓ ସମ୍ଭାବ୍ୟ କ୍ଷୟକ୍ଷତିର ସମୀକ୍ଷା କରାଯାଉଛି।
ରାଜସ୍ୱ ମନ୍ତ୍ରୀ ନିୟନ୍ତ୍ରଣ କକ୍ଷରୁ ପରିସ୍ଥିତିର ନିୟମିତ ସମୀକ୍ଷା କରିବା ସହ ପ୍ରଭାବିତ ଅଞ୍ଚଳରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଛନ୍ତି। ବିଭିନ୍ନ ଜିଲ୍ଲାରେ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦିଆଯାଇ ପରିସ୍ଥିତି ଉପରେ ନଜର ରଖାଯାଉଛି।
ମାଲକାନଗିରି ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଏବଂ ରାୟଗଡ଼ା ଜିଲ୍ଲାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ଗଞ୍ଜାମ, ଗଜପତି, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ମଧ୍ୟ ମନ୍ତ୍ରୀମାନେ ପରିସ୍ଥିତିର ତଦାରଖ କରୁଛନ୍ତି।
ବାତ୍ୟା ଓ ବର୍ଷାରେ ଅଧିକ ପ୍ରଭାବିତ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା, ଜରୁରୀକାଳୀନ ସେବା ଯୋଗାଇବା ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି।
ପରିସ୍ଥିତିର ଗମ୍ଭୀରତାକୁ ଦେଖି ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଇଛି। ଲୋକଙ୍କ ଧନଜୀବନ ସୁରକ୍ଷା ଏବଂ ବାତ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସଜାଗ ରହିଛି।








